Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ବିକାଶ ପଥରେ ପ୍ରତିବନ୍ଧକ କିଏ ?

Date : November 15th, 2010
Share : | More

ଦେଶର ପ୍ରମୁଖ ରାଜ୍ୟମାନଙ୍କରେ ଯେଉଁସବୁ ପ୍ରାକୃତିକ ସମ୍ପଦ ଅଛି ଆମ ଓଡ଼ିଶାରେ ତାହାର କାହିଁ କେତେଗୁଣ ଅଧିକ ଭରି ରହିଛି୤ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପରି ଘଞ୍ଚ ଅରଣ୍ୟାନି, ବିହାର ପରି ପ୍ରଚୁର ଖଣିଜ ସମ୍ପଦ, ଉତ୍ତର ପ୍ରଦେଶ ପରି ରହିଛି ଏଠାକାର ନଦୀରେ ଭରାପାଣି, ଗୁଜରାଟ ପରି ଏଠାରେ ମଧ୍ୟ କୁଟୀର ଶିଳ୍ପ ଓ ପଶ୍ଚିମବଙ୍ଗ ପରି ରହିଛି ମତ୍ସ୍ୟ ସମ୍ପଦ ୤ ଆମ ରାଜ୍ୟରେ ଏ ସବୁ ଥାଇ ବି ଉପରୋକ୍ତ ରାଜ୍ୟ ଗୁଡ଼ିକ ତୁଳନାରେ ଆମର ଆର୍ଥିକ ସ୍ଥିତି ଦୁର୍ବଳ୤ ‘ଭାରତର ସାମାଜିକ ସମସ୍ୟା’ ଶୀର୍ଷକରେ ଏକ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ଅନୁଯାୟୀ ପଞ୍ଜାବରେ ସର୍ବନିମ୍ନ ଅର୍ଥାତ୍‌୬.୧୨ ପ୍ରତିଶତ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ବେଳେ ଓଡ଼ିଶାରେ ସର୍ବୋଚ୍ଚ ୪୭.୧୫ ପ୍ରତିଶତ ଜନ ସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି୤ ଆହୁରି ମଧ୍ୟ କେରଳରେ ପ୍ରତି ୧୦୦୦ ଜନ୍ମ ହାରରେ ୧୧ ଜଣଙ୍କର ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୮୩୤ ସେହିପରି ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ମୁଣ୍ଡପିଛା ଆୟ ସର୍ବାଧିକ ୩୫,୦୪୭ ଟଙ୍କା ଥିବାବେଳେ ଆମ ଓଡ଼ିଶାରେ ଏହା ୮,୪୩୫ ଟଙ୍କା୤ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମେ କେଉଁ ସ୍ଥିତିରେ ଅଛୁ ଏଥିରୁ ସ୍ପଷ୍ଟ ଅନୁମେୟ୤

ଆମ ରାଜ୍ୟ ସରକାରଙ୍କୁ ଏବେ ଇସ୍ପାତ କାରଖାନା ଭୂତ ଘାରଛି୤ କାରଖାନା ହେଲେ କାଳେ ବେକାରୀ ସଂଖ୍ୟା କମିଯିବ୤ ଏହିପରି ସ୍ବପ୍ନ ଦିନେ ଦେଖାଯାଇଥିଲା ବର୍ତ୍ତମାନ ହୀରାକୁଦ ବିସ୍ଥାପିତଙ୍କୁ୤ ଜଳଭଣ୍ଡାର ହେବ, ଚାଷୀମାନେ ଭରପୁର ପାଣି ପାଇବେ, ଗାଁ ଗାଁ ରେ ବିଜୁଳି ଜଳିବ୤ କିନ୍ତୁ ହେଲା କ’ଣ ? ଆଜି ସୁଦ୍ଧା ମଧ୍ୟ ବିସ୍ଥାପିତଙ୍କୁ ସଠିକ ଭାବେ ସ୍ଥାପିତ କରାଯାଇ ପରିନାହିଁ୤ ଜଳଭଣ୍ଡାରରୁ ଚାଷୀଙ୍କୁ କମ୍‌, ଶିଳ୍ପକୁ ବେଶି ପାଣି ଯୋଗାଇ ଦିଆଯାଉଛି୤ ଗୋଟେ ଅଧେ ବିଦ୍ୟୁତ୍‌ଖୁଣ୍ଟିରେ ବଲ୍‌ବ ଜଳାଇ ଦିଆଯାଇ ଗ୍ରାମ୍ୟ ଗୁଡ଼ିକରେ ସୁଚାରୁରୂପେ ଚାଲିଛି ବୋଲି କୁହାଯାଉଛି୤ ସାମ୍ପ୍ରତିକ ପରିସ୍ଥିତିରେ ଶିଳ୍ପ ପ୍ରତିଷ୍ଠା ହେଲେ ଜନସାଧାରଣଙ୍କୁ ସୁବିଧା ସୁଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି୤ ଅକ୍ରୁର, ଗଙ୍ଗାରାମ ବା ଶେଷାଦ୍ରୀଙ୍କ ପରି ପରିବାର ଗୁଡ଼ିକୁ ନିଯୁକ୍ତି ମିଳିବ କି, କେଉଁ ଠିକାଦାର କିମ୍ବା ରାଜନେତାଙ୍କ ସମ୍ପର୍କୀୟ ବା କମ୍ପାନୀକୁ ଅହେତୁକ ଅନୁଗ୍ରହ ଯୋଗାଇ ଦେଇଥିବା ବରିଷ୍ଠ ସରକାରୀଙ୍କ ଭାଇ, ବନ୍ଧୁ ଓ କୁଟୁମ୍ବଙ୍କୁ ନିଯୁକ୍ତି ମିଳିବ ତାହା କହିବା କାଠିକର ପାଠ୤ ବିଗତ ଦଶବର୍ଷରେ ରାଜ୍ୟର ପ୍ରାୟ ୧୦୦ ହଜାର ହେକ୍ଟର ଚାଷଜମି କମିଗଲାଣି୤ ରାଜ୍ୟର ୨୫ ପ୍ରତିଶତ ଜନସାଧାରଣଙ୍କ ଦୂରାବସ୍ଥା କହିଲେ ନସରେ୤ ଗତ ପାଞ୍ଚ /ଛଅ ବର୍ଷ ମଧ୍ୟରେ ଧାନ ଓ ରବି ଜାତୀୟ ଫସଲର ଉତ୍ପାଦନ ପ୍ରାୟ ୨୦୦ ହଜାର ମେଟ୍ରିକ୍‌ଟନ୍‌ହ୍ରାସ ପାଇଛି୤ ଓଡ଼ିଶାରେ ହେକ୍ଟର ପିଛା ୧୫ କୁଇଣ୍ଟାଲ ଧାନ ଉତ୍ପାଦିତ ହେଉଥିବା ବେଳେ ପଡ଼ୋଶୀ ଆନ୍ଧ୍ରରେ ପ୍ରାୟ ଏହାର ଦୁଇଗୁଣ ଅଧିକ ଉତ୍ପାଦିତ ହୋଇଥାଏ୤ ଆମ ରାଜ୍ୟରେ ଜଣେ ଚାଷୀ ହେକ୍ଟର ପିଛା ୫୦ କେଜି ସାର ପ୍ରୟୋଗ କରୁଥିବା ବେଳେ ଆନ୍ଧ୍ରର ଚାଷୀଟିଏ ଏହାର ପାଞ୍ଚଗୁଣ ଅର୍ଥାତ୍‌୨୫୦ କେଜି ସାର ପ୍ରୟୋଗ କରିଥାଏ୤ ଏଥିପାଇଁ ବୋଧ ହୁଏ ଓଡ଼ିଶାର ରାଜରାସ୍ତା ପାର୍ଶ୍ବରେ ପ୍ରତ୍ୟୁଷରୁ ଆନ୍ଧ୍ର ଟ୍ରକ୍‌ଗୁଡ଼ିକ ଧାଡ଼ି ଲାଗିଥିବା ଦେଖିବାକୁ ମିଳେ୤

ଆମ ରାଜ୍ୟ ପାଇଁ ଅନାହାର ମୃତ୍ୟୁ କିଛି ନୂଆ କଥା ନୁହେଁ୤ ଗତ ୨୦୦୪ ମସିହା ଜୁନ୍‌୧୧ ତାରିଖରୁ ଜୁଲାଇ ୨୨ ତାରିଖ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଆ ଗାଁରେ ୧୦ ଜଣ ଖାଦ୍ୟାଭାବରୁ ମୃତ୍ୟୁବରଣ କରିଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା୤ ପୁଣି ସେହି ବର୍ଷ ଅଗଷ୍ଟ ମାସରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ପ୍ରାୟ ୧୮ ଜଣ ବ୍ୟକ୍ତି ଅନାହାରରେ ମୃତ୍ୟୁବରଣ କରିଥିବା ବେସରକାରୀ ସୂତ୍ରରୁ ଜଣା ପଡ଼ିଥିଲା୤ ଏହା ବ୍ୟତୀତ ଗଜପତି ଜିଲ୍ଲାର ସମଲାଗୁଡ଼ା, କନ୍ଧମାଳର ତୁମୁଡ଼ି ବନ୍ଧ, ରାୟଗଡ଼ାର ଦଶମନ୍ତପୁର, କୋରାପୁଟର ବୈପାରିଗୁଡ଼ା ଓ କଳାହାଣ୍ଡିର ଥୁଆମୁଳ-ରାମପୁର ଅଞ୍ଚଳରେ ଶତାଧିକ ଲୋକ ଅଖାଦ୍ୟ ଖାଇ ବା ଅନାହାରରେ ମୃତ୍ୟୁବରଣ କରିଥିବା ଖବର ରାଜ୍ୟ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା୤ ପୂର୍ବରୁ ୧୯୮୭ ମସିହାରେ କଳାହାଣ୍ଡି ଓ କୋରାପୁଟରେ ହୋଇଥିବା ଅନାହାର ମୃତ୍ୟୁ ଘଟଣା ଲୋକ ଲୋଚନକୁ ଆସିବା ପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉକ୍ତ ଦୁଇ ଜିଲ୍ଲାକୁ ଗସ୍ତ କରି ବାସ୍ତବ ଚିତ୍ର ଅନୁଧ୍ୟାନ କରିଥିଲେ୤ ପରେ ଏହି ଜିଲ୍ଲା ପାଇଁ ସେ ସହାୟତା ଘୋଷଣା କରିଥିଲେ୤ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଉପରୋକ୍ତ ଦୁଇଟି ଜିଲ୍ଲା ସହ ବଲାଙ୍ଗୀର ଜିଲ୍ଲାକୁ ମିଶାଇ କେବିକେ ଯୋଜନା ଘୋଷଣା କଲେ୤ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଥିବା ଅନଗ୍ରସର ଜିଲ୍ଲା ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଇଥାନ୍ତି୤ ଦେଶର ସେହି ବିଭିନ୍ନ ଜିଲ୍ଲା ଗୁଡ଼ିକ ମଧ୍ୟରେ ଆମର ଏହି ତିନିଟି ଜିଲ୍ଲା ରହିଛି୤ କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର କିଛି ସ୍ବତନ୍ତ୍ର ଅନୁଦାନ ଯୋଗାଇ ନଥାନ୍ତି୤ ସମସ୍ତଙ୍କ ପାଇଁ ଯାହା, ଦେଶର ସର୍ବାଧିକ ଦରିଦ୍ର ଓ ଅନାହାର ମୃତ୍ୟୁ ଘଟୁଥିବା ରାଜ୍ୟ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁଦାନ ସେଇଆ୤

କେନ୍ଦ୍ରୀୟ ଆଦିବାସୀ ବିଶ୍ବ ବିଦ୍ୟାଳୟ ଓଡ଼ିଶାରୁ ମଧ୍ୟପ୍ରଦେଶକୁ ସ୍ଥାନାନ୍ତର ହେବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ୤ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ନାମକ ଏହି ଅନୁଷ୍ଠାନ ଓଡ଼ିଶାର କେବିକେ ଅଞ୍ଚଳରେ ସ୍ଥାପନ କରାଯିବା ପାଇଁ ଗତ ୨୦୦୫ ମସିହାରେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା୤ ତେବେ ଏହା କେବିକେ ଅଞ୍ଚଳରେ ନୁହେଁ ମଧ୍ୟପ୍ରଦେଶର ଅମର କଣ୍ଟକ ଠାରେ ଖୋଲାଯିବ ବୋଲି ଗତ କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି୤ କେବିକେ ପ୍ରତି କେନ୍ଦ୍ର ସରକାରଙ୍କ କେତେ ଦରଦ ତାହା ଏଥିରୁ ସ୍ପଷ୍ଟ ଅନୁମେୟ୤

ଦୁର୍ନୀତି, ଜଳସେଚନର ଅଭାବ, ଭୂସଂସ୍କାର ନିୟମରେ ତୃଟି ଓ ଜମିମାଲିକ ଠିକାଦାରଙ୍କ ଦ୍ବାରା ଶୋଷଣ ହିଁ ରାଜ୍ୟରୁ ଦାରିଦ୍ର୍ୟ ହଟାଇବାରେ ପ୍ରତିବନ୍ଧକ୤ ରାଜ୍ୟ ସରକାର ଏ ସବୁ ପ୍ରତି ଦୃଷ୍ଟି ଦେଇ ଶିଳ୍ପାୟନର ପ୍ରସାର ଘଟାଇଲେ ରାଜ୍ୟର ଉନ୍ନତି ହୋଇପାରିବ୤ ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାକୁ ବିଦେଶୀ କମ୍ପାନୀଙ୍କ ସୁଅ ଛୁଟୁଛି୤ ଏକ ଇସ୍ପାତ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ମତରେ ଓଡ଼ିଶାରେ ଉନ୍ନତମାନର ଲୁହାପଥର, ବଳକା ବିଦ୍ୟୁତ୍‌ଶକ୍ତି, କାରଖାନା ପାଇଁ ପାଣି ଓ ପରିବହନର ପର୍ଯ୍ୟାପ୍ତ ସୁବିଧା ଥିବରୁ କମ୍ପାନୀମାନେ ଓଡ଼ିଶା ମୁହାଁ ହୋଇଛନ୍ତି୤ ଦେଶର ସମୁଦାୟ ଲୁହା ପଥର ଗଚ୍ଛିତ ପରିମାଣର ୨୬.୫୦ ପ୍ରତିଶତ ଓଡ଼ିଶାରେ ରହିଛି୤ ଗତ ୨୦୦୪ ମସିହାରେ (ଯେତେବେଳେ ପ୍ରମୁଖ କମ୍ପାନୀମାନେ ଓଡ଼ିଶା ଆସିବାକୁ ଲାଗିଲେ) ଲୁହା ପଥରର ଘରୋଇ ବିକ୍ରୟ ମୂଲ୍ୟ ଟନ୍‌ପିଛା ୭୯୩ ଟଙ୍କାରୁ ୧୩୦୦ ଟଙ୍କା ଥିଲା୤ ଏହି ସମୟରେ ଅର୍ନ୍ତଜାତୀୟ ବଜାରରେ ଟନ୍‌ପିଛା ଇସ୍ପାତ ମୂଲ୍ୟ ଥିଲା ୧୫୬୭ ରୁ ୧୬୦୦ ଟଙ୍କା୤ ଏହି ଇସ୍ପାତ କମ୍ପାନୀମାନେ ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କାରଖାନା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିବା ଗର୍ବ ଓ ଗୌରବର କଥା୤ କିନ୍ତୁ କୃଷିର ସମାଧି ଉପରେ ଶିଳ୍ପ ଗଢ଼ିବା ରାଜ୍ୟବାସୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ୤ ଶିଳ୍ପ ପ୍ରତିଷ୍ଠା ପାଇଁ ଯଦି ଜଙ୍ଗଲ ଜମି ଶିଳ୍ପପତିମାନଙ୍କୁ ଯୋଗାଇ ଦିଆଯାଇଛି ତେବେ ଆଦିବାସୀଙ୍କୁ କାହିଁକି ଜଙ୍ଗଲ ଅଧିକାରରୁ ବଞ୍ଚିତ କରାଯିବ ? ସେହିପରି ଯଦି ହୀରାକୁଦ ଜଳଭଣ୍ଡାରରୁ କେତେକ ଶିଳ୍ପସଂସ୍ଥା ପାଣି ନେଇ ପାରୁଛନ୍ତି ତେବେ ଶାସନ କେନାଲ ଓ ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ କାହିଁକି ଶୁଖିଲା ପଡ଼ିବ ? ଜଳଭଣ୍ଡାରର ପରିକଳ୍ପନା କରାଯିବା ବେଳେ ଏହାର ଆୟୁଷ ୧୦୭ ବର୍ଷ ବୋଲି କଳନା କରାଯାଉଥିଲା୤ କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଯେଉଁପରି ଜଳଭଣ୍ଡାର ପୋତି ହୋଇ ଚାଲିଛି ତାହାର ଆୟୁ ୩୦ ବର୍ଷ ହ୍ରାସ ପାଇଲାଣି୤

ଜଳଭଣ୍ଡାରରୁ ଶିଳ୍ପକୁ ଜଳ ଯୋଗାଣ ବିରୁଦ୍ଧରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ବାରମ୍ବାର ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ’କରିବା ପରିତାପର ବିଷୟ୤ ଏଥିଯୋଗୁଁ ଭବିଷ୍ୟତର ବିରାଟ ଚାଷୀ ଆନ୍ଦୋଳନଙ୍କୁ ଏଡ଼ାଇ ଦିଆଯାଇ ନପାରେ୤ ବିରୋଧୀ ଦଳରେ ଥିବା ବେଳେ ଯେଉଁମାନଙ୍କ ଗଳା ଫାଟି ପଡୁଥିଲା, ଏବେ ସେମାନେ ମୌନବ୍ରତରେ ବସିଛନ୍ତି୤ ଅଖାଦ୍ୟ ଭକ୍ଷଣ, ଅନାହାର ମୃତ୍ୟୁ, ଋଣ ଶୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ପରି ଘଟଣା ଗୁଡ଼ିକୁ ସରକାର ଗୁରୁତ୍ବର ସହ ହୃଦୟଙ୍ଗମ କରିବା ସମୀଚୀନ ହେବ୤ ରାଜ୍ୟର ଏପରି ଅନେକ ହଜାର ପିଲା ଅଛନ୍ତି ଯେଉଁମାନେ କି ସକାଳେ ବିସ୍କୁଟ ଟିଏ ତ ଦୂରର କଥା ବିଶୁଦ୍ଧ ପାଣି ଟୋପାଏ ମଧ୍ୟ ସହଜରେ ପାଇ ନଥାନ୍ତି୤

ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଗଢ଼ିବାକୁ ହେଲେ ରାଜ୍ୟକୁ ପ୍ରଥମେ ବେକାରୀ ଓ ଗରିବି ରୂପକ ରୋଗକୁ ଦୂର କରାଯିବାର ଆବଶ୍ୟକତା ରହିଛି୤ କେବଳ ବାହାସ୍ପୋଟ ମାରି ଆମେ ସମୃଦ୍ଧ ବୋଲି ଦାବି କରିବା ଅପେକ୍ଷା ରାଜ୍ୟବାସୀଙ୍କ ପ୍ରାଥମିକ ସୁବିଧା ଅସୁବିଧା ବୁଝିବା ସରକାରଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ୤

( ପରିକ୍ଷିତ ନାୟକ , ଭୁବନେଶ୍ବର )

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg