Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ଆଶା ଓ ଆଶଙ୍କା ମଧ୍ୟରେ ବିମଳାଗଡ଼–ତାଳଚେର ରେଳପଥ

Date : October 8th, 2012
Share : | More

ରାଉରକେଲା: ଓଡ଼ିଶାର ପଶ୍ଚିମ ଭାଗ ସହିତ ଉପକୂଳ ଅଞ୍ଚଳକୁ ରେଳପଥ ମାଧ୍ୟମରେ ଯୋଡ଼ିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିମଳାଗଡ଼ରୁ ତାଳଚେର ମଧ୍ୟରେ ରେଳପଥ ନିର୍ମାଣର ଆବଶ୍ୟକତା ଓ ଗୁରୁତ୍ବକୁ ସ୍ବାଧୀନତାର ବେଶ୍‌ ପୂର୍ବରୁ ଉପଲବ୍ଧି କରାଯାଇଥିଲା୤ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରେଳବାଇ ପକ୍ଷରୁ ହୋଇଥିବା ପ୍ରାଥମିକ ଆକଳନରେ ଏହି ରେଳପଥ ନିର୍ମାଣ ପାଇଁ ଅନୁକୂଳ ମତ ପ୍ରକାଶ ପାଇଥିଲା୤ କାରଣ ଏହି ରେଳପଥର ନିର୍ମାଣ ହେଲେ ମାଲ ପରିବହନ ସହିତ ଗମନାଗମନ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବା ସହ ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶାର ସମ୍ପର୍କ ବୃଦ୍ଧିପାଇବ ବୋଲି ସେତେବେଳେ ଅର୍ଥାତ୍‌ ଆଜିକୁ ପ୍ରାୟ ୧୨୦ ବର୍ଷ ପୂର୍ବେ ମତ ପ୍ରକାଶ ପାଇଥିଲା୤ ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଆମରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ରେଳପଥ ଭାବେ ପରିଚିତ ଏହି ରେଳପଥ ନିର୍ମାଣ ଏବେ ମଧ୍ୟ ଅଧାପନ୍ତରିଆ ରହିଛି୤ ବହୁ ବାଦବିବାଦ, ଆଲୋଚନା ଓ ସମାଲୋଚନା ପରେ ଏହି ରେଳପଥର ନିର୍ମାଣ ପାଇଁ ୬୦ ଦଶକର ଶେଷଭାଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା୤ ଇତିମଧ୍ୟରେ ୫୦ ବର୍ଷରୁ ଊର୍ଦ୍ଧ୍ବ୍ ବିତି ସାରିଥିଲେ ମଧ୍ୟ ପ୍ରକଳ୍ପ ପାଇଁ ହେଉଥିବା ବ୍ୟୟ ବରାଦ କେବଳ ସର୍ଭେ ଓ ଆନୁସଙ୍ଗିକ ଖର୍ଚ୍ଚରେ ଯାଉଛି୤ ଏଭଳି ପରିପ୍ରେକ୍ଷୀରେ ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ଅନେକ ପ୍ରକାରର ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି୤ କେତେକଙ୍କ ମତରେ ସମ୍ପ୍ରତି ଏହି ରେଳପଥର ନିର୍ମାଣ ଯେଉଁ ଗତିରେ ଚାଲିଛି ଯଦି ତାହା ଜାରି ରହେ ତେବେ ଆସନ୍ତା ୫୦ ବର୍ଷରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବା ସମ୍ଭବ ନୁହେଁ୤

ସ୍ବାଧୀନତାର ୬୫ ବର୍ଷ ପରେ ମଧ୍ୟ ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶା ଯୋଡ଼ିବା ଅସମ୍ଭବ

୧୯୫୭ ମସିହାରୁ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ ହେବାବେଳକୁ ଏହି ଇସ୍ପାତ କାରଖାନାର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜର୍ମାନ ଯନ୍ତ୍ରୀମାନେ ଏଠାରୁ ପୂର୍ବ ଉପକୂଳ ପାରାଦ୍ବୀପ ବନ୍ଦର ନିର୍ମାଣ ସହିତ ରେଳ ସଂଯୋଗ ପାଇଁ ପ୍ରସ୍ତାବ ଦେଇଥିଲେ୤ ସେହି କ୍ରମରେ ବରସୁଆଁ ଖଣିରୁ ଲୁହାପଥର ଆଣିବା ପାଇଁ ରାଉରକେଲାରୁ ବରସୁଆଁ ୭୭ କି.ମି. ରେଳପଥ ନିର୍ମାଣ କରାଗଲା୤ ଏହି ସେକ୍ସନ୍‌ରୁ ରାଉରକେଲା ଠାରୁ ୫୫ କି.ମି. ଦୂର ବିମଳାଗଡ଼ ଠାରୁ ତାଳଚେର (୮୨ ମାଇଲ) ୧୩୦ କି.ମି. ରେଳପଥ ନିର୍ମାଣ ପାଇଁ ୧୯୫୯ ମସିହାରେ ଓଡ଼ିଶା ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ୤ ତା’ ପରଠାରୁ ଅନେକ ଥର ଇଞ୍ଜିନିୟରିଂ ଏବଂ ଗ୍ରାଫିକ୍‌ ସର୍ଭେ କରାଯାଇ କେନ୍ଦ୍ର ଯୋଜନା ବୋର୍ଡ଼କୁ ମଞ୍ଜୁରୀ ନିମିତ୍ତ ପଠାଯାଇଥିଲେ ମଧ୍ୟ ଓଡ଼ିଶା ବିରୋଧି ଚକ୍ରାନ୍ତକାରୀମାନେ ଏହାକୁ କରାଇ ଦେଇ ନଥିଲେ୤

୧୯୬୨ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ପ୍ରଭାବିତ କରି ପାରାଦ୍ବୀପ ବନ୍ଦର ନିର୍ମାଣ କରାଇଲେ ଏବଂ ତାଙ୍କର ମାନସ ସନ୍ତାନ ରାଉରକେଲା ଇସ୍ପାତ କାରଖାନା ସହିତ ପାରାଦ୍ବୀପ ବନ୍ଦର ରେଳପଥ ନିର୍ମାଣ ପାଇଁ ନ୍ୟାସନାଲ କାଉନସିଲ ଅଫ୍‌ ଆପ୍ଲାଏଡ଼ ଇକୋନୋମିକ୍ସ୍‌ର ରିସର୍ଚ୍ଚ ଡାଇରେକ୍ଟର ପି.ଏସ୍‌ ଲୋକନାଥନ୍‌ ପ୍ରସ୍ତୁତ କରିଥିବା ପାରାଦ୍ବୀପ ଦେଶର ସର୍ବବୃହତ୍‌ ବନ୍ଦରକୁ ଖଣି ଓ ଶିଳ୍ପାଞ୍ଚଳ ରେଳ ସଂଯୋଗ ଅପରିହାର୍ଯ୍ୟ ରିପୋର୍ଟକୁ ଯୋଜନାବୋର୍ଡ଼କୁ ପଠାଇଥିଲେ୤ କିନ୍ତୁ କେନ୍ଦ୍ର ସରକାରଙ୍କର ଅବହେଳା ଓ ଉପେକ୍ଷା ଯୋଗୁଁ ଲୋକନାଥନ୍‌ କମିଟି ରିପୋର୍ଟକୁ ଚପାଇ ରଖି ଦିଆଗଲା୤ ବିଜୁବାବୁଙ୍କର ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀ କାଳରେ ଏହା ସମ୍ଭବ ହୋଇପାରି ନଥିଲା ୤ ପରବର୍ତ୍ତୀ ସମୟରେ ଏହି ରେଳପଥ ନିର୍ମାଣ ପାଇଁ ରାଉରକେଲାର ତତ୍କାଳୀନ ବିଧାୟକ ବ୍ରଜକିଶୋର ମହାନ୍ତିଙ୍କ ସମେତ ଆଜିର ବରିଷ୍ଠ ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳ ପ୍ରଭୃତିଙ୍କ ଆହ୍ବାନ କ୍ରମେ ରାଉରକେଲାରେ ଏକ ବୃହତ୍‌ ଛାତ୍ର ଆନ୍ଦୋଳନ ଷାଠିଏ ଦଶକରେ ଅନୁଷ୍ଠିତ ହୋଇଥିଲା୤ ଏଥିରେ ସେତେବେଳର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ସର୍ବସାଧାରଣ ଯୋଗଦେଇଥିଲେ ଏବଂ ଏହି ଐତିହାସିକ ଆନ୍ଦୋଳନ ସହିତ ରାଉରକେଲା ବନ୍ଦ ପାଳିତ ହୋଇଥିଲା୤ ଏତେସବୁ ସତ୍ତ୍ବେ ମଧ୍ୟ ଏହି ଆନ୍ଦୋଳନର ପ୍ରଭାବ କେନ୍ଦ୍ର ରେଳମନ୍ତ୍ରଣାଳୟକୁ ଆଖି ଦୃଶିଆଭାବେ ପ୍ରଭାବିତ କରିବାରେ ସଫଳ ହୋଇ ନଥିଲା୤ ଏହା ବ୍ୟତୀତ ସେତେବଳର ସୁନ୍ଦରଗଡ଼ ଜିଲ୍ଲାର ସାଂସଦ ଏବଂ ଲୋକପ୍ରତିନିଧିମାନେ ମିଳିତ ଭାବେ ଏବାବଦରେ ଆମ ଦେଶର କେନ୍ଦ୍ରୀୟ ନେତାମାନଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ୤

ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ମଧ୍ୟ ତାଙ୍କର ବଜେଟ୍‌ ପ୍ରସ୍ତାବରେ ଦୂରଦୃଷ୍ଟି ଅଭାବରୁ ଏହାକୁ ଅଗ୍ରାଧିକାର ଦେଲେ ନାହିଁ୤ ଶେଷରେ ତତ୍‌କାଳୀନ ମନ୍ତ୍ରୀ ନିଶାମଣି ଖୁଣ୍ଟିଆଙ୍କ ଦ୍ବାରା ପ୍ରକାଶିତ ‘ମିସିଂଲିଙ୍କ୍‌’ ପୁସ୍ତକକୁ ଅନୁଧ୍ୟାନ କରି ୧୯୬୯ ମସିହାରେ ଓଡ଼ିଶା ବିଧାନସଭାରେ ଏହି ରେଳପଥ ନିର୍ମାଣ ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଗଲା ଏବଂ କେନ୍ଦ୍ରକୁ ପଠାଗଲା୤ ପରବର୍ତ୍ତୀ ସମୟରେ ଏହି ପ୍ରସ୍ତାବକୁ ଫଳପ୍ରଦ କରାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରାଯିବା ଦ୍ବାରା ଏହି ରେଳପଥର ଭାଗେ କେନ୍ଦ୍ରସରକାରଙ୍କ ନାଲିଫିତା ତଳେ ଅଟକି ରହିଗଲା୤

ଏହାର ୧୦ ବର୍ଷ ପରେ ୧୯୭୯ ମସିହାରେ କେନ୍ଦ୍ରରେ ଜନତା ସରକାର ଅମଳରେ ବିଜୁବାବୁ ଇସ୍ପାତ ମନ୍ତ୍ରୀ, ରବିରାୟ ବାଚସ୍ପତି ଏବଂ ମଧୁଦଣ୍ଡବତେ ରେଳମନ୍ତ୍ରୀ ଥିବାବେଳେ ରାଉରକେଲାର ନବଗଠିତ ରେଳୟୁଜର୍ସ ଆସୋସିଏସନ ପକ୍ଷରୁ ଅମୂଲ୍ୟଚରଣ ବରାଳ, ରାଧାନାଥ ରାଉତ, ବୃନ୍ଦାବନ ନାୟକ ପ୍ରମୁଖ ୭୦୦୦ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ନେଇ ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣର ଆବଶ୍ୟକତା ଏବଂ ଗୁରୁତ୍ବ ସମ୍ପର୍କରେ ଦାବୀ ଉପସ୍ଥାପନ କରିଥିଲେ୤ ଏହା ସହିତ ରେଳମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତତ୍‌କାଳୀନ ରେଳବାଇ ବୋର୍ଡ଼ ଅଧ୍ୟକ୍ଷଙ୍କୁ ସାକ୍ଷାତ୍‌ କରିବା ସହିତ ଓଡ଼ିଶାର ଲୋକସଭା ତଥା ରାଜ୍ୟସଭାର ସମସ୍ତ ସାଂସଦକୁ ସାକ୍ଷାତ୍‌ କରି ସ୍ମାରକପତ୍ରର ନକଲ ପ୍ରଦାନ କରିବା ସହିତ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ଏଭଳି ପ୍ରକଳ୍ପ ସମ୍ପର୍କରେ ଦୃଢ଼ସ୍ବର ଉତ୍ତୋଳନ କରିବାକୁ ଅନୁରୋଧ କରିଥିଲେ୤

ପରବର୍ତ୍ତୀ ସମୟରେ ୧୯୯୩ ମସିହାରେ ଓଡ଼ିଶାର କାହ୍ନୁଚରଣ ଲେଙ୍କା ରେଳମନ୍ତ୍ରୀ ଭାବେ ଅବସ୍ଥାପିତ ହେବାପରେ ଏହି ଗୁରୁତ୍ବପୂର୍ଣ୍ଣ ରେଳପଥକୁ ପୁନର୍ବାର ରେଳମନ୍ତ୍ରଣାଳୟ ସର୍ଭେ କଲା୤ ସେତେବେଳକୁ ତାଳଚେରରୁ ଏନ୍‌ଟିପିସି କଣିହାଁ ଯାଏ ୨୫ କିଲୋମିଟର ରେଳପଥ ନିର୍ମାଣ ସରିଥିଲା୤ କିଛି ବର୍ଷ ପରେ କାହ୍ନୁ ଲେଙ୍କାଙ୍କ କାର୍ଯ୍ୟକାଳ ସରିବାପରେ ଏହି ରେଳପଥ ମଞ୍ଜୁରୀକୁ ପୁଣି ଚାପି ଦିଆଗଲା୤ ୧୯୯୭ ମସିହାରେ ଓଡ଼ିଶା ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା ଓ ବୈମାତୃକ ମନୋଭାବର ବିରୋଧ କରି ଦଳମତ ନିର୍ବିଶେଷରେ ଓଡ଼ିଶାର ୧୬ଜଣ ସାଂସଦ ରେଳ ଭବନରେ ଧାରଣା ଦେଲେ ମଧ୍ୟ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା୤ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ସାଂସଦ ଥିବା ସମୟରେ ଏହି ରେଳପଥର ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ୤ ୨୦୦୧-୨୦୦୨ ତତ୍‌କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ଏହି ରେଳପଥ ୧୫୪ କିଲୋମିଟର ହେବ ଏବଂ ଏଥିପାଇଁ ୭୦୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଇ ସେହି ସମୟର ପଞ୍ଚବାର୍ଷିକ ଯୋଜନାରେ ଏହା କରାଯାଇପାରିବ ନାହିଁ ବୋଲି କହି ଚତୁରତାର ସହ ଏହାକୁ ଏଡ଼ାଇ ଗଲେ୤ ସେତେବେଳର ରେଳପଥ ନିର୍ମାଣ ଖର୍ଚ୍ଚ ହାରାହାରି ୧ କିଲୋମିଟରକୁ ୨ କୋଟି ଧରାଗଲେ ପ୍ରକୃତ ଦୂରତା ଅନୁସାରେ ୩୧୦ କୋଟିରୁ ଅଧିକ ଖର୍ଚ୍ଚ ହେବା କଥା ନୁହେଁ୤ କିନ୍ତୁ ଚତୁର ମମତା ଏହା କରାଇ ନଦେବା ଉଦ୍ଦେଶ୍ୟରେ ୭୦୭ କୋଟି ଟଙ୍କାର ବଜେଟ୍‌ରୁ ଦର୍ଶାଇଥିବା ତାଙ୍କର ଅସଲ ସ୍ବରୂପ ଓ ଉଦ୍ଦେଶ୍ୟ ପରେ ଜଣାପଡ଼ିଥିଲା୤ କାରଣ ଏହି ରେଳପଥ ନିର୍ମାଣ ହେଲେ ହଳଦିଆ ବନ୍ଦର ତୁଳନାରେ ପାରାଦ୍ବୀପ ବନ୍ଦରକୁ ଦୂରତା କମ୍‌ ହେବ ଏବଂ ମାଲ୍‌ପରିବହନ ହଳଦିଆ ପରିବର୍ତ୍ତେ ପାରାଦ୍ବୀପ ପଟେ କରାଯିବାର ସମ୍ଭାବନା ଥିବାରୁ ଏହାକୁ ନକରାଇଦେବା ପାଇଁ କଲିକତା ଲବିର ହୀନଚକ୍ରାନ୍ତ ସଫଳ ହୋଇଥିଲା୤

ସ୍ବଳ୍ପ ଦୂରତ୍ବ ପଥରେ ମାଲ ପରିବହନ ରାଞ୍ଚି ଶିଳ୍ପାଞ୍ଚଳ, ଉତ୍ତର ଭାରତକୁ ପାରାଦ୍ବୀପ ବନ୍ଦରର ସିଧାସଳଖ ସଂଯୋଗ ସାଙ୍ଗକୁ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ପାଲଲହଡ଼ା, ତାଳଚେର, ଢ଼େଙ୍କାନାଳ, ଅନୁଗୁଳ ଭଳି ଅଞ୍ଚଳକୁ ରେଳ ସଂଯୋଗ ପାଇଁ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣର ଆବଶ୍ୟକତାକୁ ସୂଚାଇ ରାଜ୍ୟର ୨୫ଜଣ ବିଧାୟକ ସେତେବେଳର ରେଳମନ୍ତ୍ରୀ ନିତୀଶ କୁମାରଙ୍କୁ ୨୦୦୩ ମସିହାରେ ଦାବିପତ୍ର ଦେଇଥିବାବେଳେ ରାଜ୍ୟସରକାର ମଧ୍ୟ ନିତୀଶ କୁମାରଙ୍କୁ ଏହାକୁ ଅଗ୍ରାଧିକାର ଦେବାକୁ ଅନୁରୋଧ କରିଥିଲେ୤ ତାଙ୍କରି ଉଦ୍ୟମରେ ଏହି ରେଳପଥ ନିର୍ମାଣ ପାଇଁ ବାଟ ଫିଟିଥିଲା୤

ଭାରତ ସ୍ବାଧୀନ ହେବା ପରଠାରୁ ଏହି ରେଳପଥ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିବାବେଳେ ୬୦ ଦଶକରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ମଧ୍ୟ ସରିନାହିଁ୤ ବହୁ ସଙ୍ଗଠନର ଆନ୍ଦୋଳନ ଓ ସଂଗ୍ରାମ ଫଳରେ ୨୦୦୩-୦୪ ରେଳ ବଜେଟ୍‌ରେ ଏଥିପାଇଁ ୧ ଲକ୍ଷ ଟଙ୍କା ସାଙ୍କେତିକ ମଞ୍ଜୁରୀ ହୋଇଥିଲା୤ ପରବର୍ତ୍ତୀ ସମୟରେ ପ୍ରତିବର୍ଷ ୧ କୋଟି, ୨ କୋଟି, ୫ କୋଟି, ୧୦ କୋଟି ଓ ୧୫ କୋଟିର ବ୍ୟୟବରାଦ କେବଳ ଏହି ପ୍ରକଳ୍ପର ସର୍ଭେ ସହିତ ତିଷ୍ଠି ରହିବା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି୤ କେବଳ ୨୦୧୧-୧୨ ଆର୍ଥିକ ବର୍ଷରେ ଏଥିପାଇଁ ସର୍ବାଧିକ ୨୫ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା କେତେକାଂଶରେ ତ୍ବରାନ୍ବିତ ହୋଇଛି୤ ସେହିପରି ଚଳିତ ବର୍ଷ ଏହି ରେଳପଥ ପାଇଁ ପ୍ରଥମେ ୫୦ କୋଟି ଟଙ୍କା ବ୍ୟୟବରାଦ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହାକୁ କମାଇ ଦିଆଯାଇଛି୤ ସେହିପରି ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ରାଜ୍ୟସରକାରଙ୍କ ଦ୍ବାରା ସମ୍ଭବ ହେଉ ନଥିବାରୁ ଏହି ଟଙ୍କା ଖର୍ଚ୍ଚ ନହୋଇ ଫେରିଯିବାର ଆଶଙ୍କା ଦେଖାଦେଇଛି୤

ବଣପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ବିମଳାଗଡ଼ ସହିତ ତାଳଚେର ମଧ୍ୟରେ ରେଳପଥ ନିର୍ମାଣ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଲୋକପ୍ରତିନିଧିମାନେ ଆବଶ୍ୟକ ଧ୍ୟାନ ଦେଉ ନଥିବାର ଅଭିଯୋଗ ହୋଇଛି୤ ଏହା ବ୍ୟତୀତ ରାଜ୍ୟସରାକାରଙ୍କର ମଧ୍ୟ ଏଥିପାଇଁ ଆନ୍ତରିକତା ନଥିବା ନେଇ ଅଭିଯୋଗ ହେଉଛି୤ ଏଭଳି ସ୍ଥିତିରେ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତଥା ଆବଶ୍ୟକତା ଥିବା ଏହି ରେଳପଥ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ନାନା ପ୍ରକାରର ଆଶା ଓ ଆଶଙ୍କା ଲାଗି ରହିଛି୤ ଏଭଳି ସ୍ଥିତିରେ ରାଉରକେଲା ସହରର ଦଳମତ ନିର୍ବିଶେଷରେ ରାଜନେତା, ବୁଦ୍ଧିଜୀବୀ ଓ ଛାତ୍ରସଙ୍ଘ ସହିତ ଶ୍ରମିକ ସଙ୍ଗଠନଗୁଡ଼ିକ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ମିଳିତ ଆନ୍ଦୋଳନ ଗଢ଼ି ତୋଳି ଆବଶ୍ୟକ ଚାପ ସୃଷ୍ଟି କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି୤

Recently Published :
 

8 Responses

  1. situn says:

    rourkela railway divison under ecor is the only solution

    members of western odissa devlopment forum(wodf) will raise this issue with in few days with esic

  2. situn says:

    after esic their next target is rkl railway divison under ecor

  3. Dillip says:

    Golden Chance South Eastern Railway GM A K Verma is visiting Rourkela on 17th October that is on Wednesday

  4. Dillip says:

    Talcher-Bimalagarh Railway Route needs Rs 650 crores more fro completion

  5. pradeep kumar satpathy says:

    Nw its time to raise d voice against negligence of western odisha in every department.I on behalf of WODF team assured d people of western odisha tht this time there will be a strong protest with d help of local peoples,trade unions,bar association,chamber of commerce,development steering committee to fight with state govt along with central govt.
    join us & shake hands with us.

  6. Prashant K Sahoo says:

    Talcher-Bimlagarh and Khurda-Bolangir are two important and critical train lines and communication between cross regions and districts of odisha.

    While Khurda-Bolangir is moving at snail’s speed, Talcher-Bimlagarh is almost put in cold storage.

  7. alok says:

    SAIL should come forward to initiate things.Atleast on PPP mode with railways this can be completed.Not just SAIL all the other steel manufacturing units involved in mining in this region should join hands and contribute.We all know the condition of Railways,thanks to our ministers and polticians.I guess 650 crores is not a big deal for these steel giants.

  8. bdas says:

    New Railway Divsion is atmost requirement for current situation and need to bring Rourkela Div under ECO Rly. Let us all political parties of Odisha should raise voice to include border City of Odisha Rourkela within jurisdiction of ECO Railway.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg