କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ
କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ୩ ଲାଇନ୍ ବିଶିଷ୍ଟ ଦୁଇଟି ସେତୁ ନିର୍ମାଣ ସହିତ ରାଉରକେଲାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୧୪୩ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଓ ୪ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ରାଉରକେଲାଠାରେ ସମ୍ପନ୍ନ ହୋଇଛି। ରାଉରକେଲାର ବାଲୁଘାଟ ସ୍ଥିତ ରୁପଟୋଲା ଫୁଟ୍ବଲ୍ ପଡ଼ିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଭୂପୃଷ୍ଟ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଦୁଇଟି ୩-ଲାଇନ୍ ବିଶିଷ୍ଟ ବ୍ରାହ୍ମଣୀ ସେତୁ ସମେତ ରାଉରକେଲାଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ୧୪୩ନଂ ଜାତୀୟ ରାଜପଥର ୨୯ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ଭୂମିପୂଜନ ଓ କନକତୋରା ଝାରସୁଗୁଡ଼ା ଜାତୀୟ ୪୯ ନଂ ଜାତୀୟ ରାଜପଥର ପ୍ରାୟ ୬୭ କିଲୋମିଟର ପ୍ରଶସ୍ତୀକରଣ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀତ କରିଛନ୍ତି। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୩୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହେବାକୁ ଥିବା ପୂରାତନ ଜାତୀୟ ରାଜପଥ ନଂ ୨୩ ଓ ନୂତନ ନଂ ୧୪୩ର ରାଉରକେଲାରୁ ବୀରମିତ୍ରପୁର ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ହାଇଦେରାବାଦ୍ର ଜିକେସି କମ୍ପାନୀକୁ ଦିଆଯାଇଛି।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ ଓଡ଼ିଶାର ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ଦେଉଛନ୍ତି ଓ ଦେବେ ବୋଲି କହିବା ସହିତ ରାଜ୍ୟର ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ବାବଦରେ ସୂଚନା ଦେଇଥିଲେ। ସୂଚନା ମୁତାବକ ଗତ ୩ବର୍ଷ ମଧ୍ୟରେ ରାଜ୍ୟରେ ଥିବା ବିଭିନ୍ନ ଜାତୀୟ ରାଜପଥର ବିକାଶ ନିମନ୍ତେ ୬୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲାବେଳେ ଆସନ୍ତା ଦୁଇବର୍ଷ ମଧ୍ୟରେ ଆଉ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେହିପରି ତାଳଚେର-ପାରାଦ୍ୱୀପ ରେଳଲାଇନ ନିର୍ମାଣ ପାଇଁ ପ୍ରାୟ ୪ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି, ଯାହାର ଆରମ୍ଭ ଖୁବ୍ ଶୀଘ୍ର ହେବ। ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ପୂର୍ବରୁ ରହିଥିବା ପ୍ରାୟ ୪୬୩୨ କିମି ଜାତୀୟ ରାଜପଥ ଏବେ ପ୍ରାୟ ୬୯୯୩ କିମି ରେ ପହଞ୍ଚିଛି ଓ ଏହିସବୁ ରାସ୍ତାର ବ୍ୟାପକ ବିକାଶ ନିମନ୍ତେ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ସେହିଭଳି ୨୦୧୪ ସୁଦ୍ଧା ଦେଶରେ ଦିନକୁ ହାରାହାରି ୨କିମିର ଜାତୀୟ ରାଜପଥ ନିର୍ମାଣ ହେଉଥିଲାବେଳେ ଗତ ତିନିବର୍ଷ ମଧ୍ୟରେ ଆମେ ଦିନକୁ ପ୍ରାୟ ୨୩ କିମି ଜାତୀୟ ରାଜପଥ ନିର୍ମାଣ କରୁଛୁ ବୋଲି ଶ୍ରୀ ଗଡ଼କରୀ କହିଥିଲେ। ସେହିପରି ୨୦୧୧ ମସିହାରେ ସେତେବେଳର ଉପା ସରକାର ସମୟରେ ବୀରମିତ୍ରପୁର-ରାଉରକେଲା-ବାରକୋଟ୍ ରାସ୍ତା ସମ୍ପ୍ରସାରଣ ପାଇଁ କରାଯାଇଥିବା ପଦକ୍ଷେପରେ ଅନେକ ତ୍ରୁଟି ଥିବାରୁ ୨୦୧୪ରେ ଏନ୍ଡିଏ ସରକାର ସେହି କାର୍ଯ୍ୟକୁ ବିଧିବଦ୍ଧଭାବେ ରଦ୍ଦ କରିଥିଲେ। ପରେ ଏ ନେଇ ନୂତନ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା, ଯାହାର ଫଳସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ରାଉରକେଲା-ବୀରମିତ୍ରପୁର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଖୁବ୍ ଶୀଘ୍ର ରାଉରକେଲା-ରାଜାମୁଣ୍ଡା ଓ ରାଜାମୁଣ୍ଡା-ବାର୍କୋଟ୍ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଗଡ଼କାରୀ କହିଥିଲେ। ସେହିପରି ପ୍ରାୟ ଅଢେଇ ବର୍ଷରେ ସମ୍ପନ୍ନ ହେବାକୁ ଥିବା ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସହିତ ରାଉରକେଲା-ବୀରମିତ୍ରପୁର ରାସ୍ତା ସମ୍ପ୍ରସାରଣକୁ ଦୁଇବର୍ଷ ମଧ୍ୟରେ ସାରିବା ପାଇଁ ସେ ଜାତୀୟ ରାଜପଥ ପ୍ରାଧୀକରଣର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଏହା ନିଶ୍ଚିତଭାବେ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ବୋଲି ଦୃଢୋକ୍ତି କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ନିଜ ଅଞ୍ଚଳ ଓ ରାଜ୍ୟର ବିକାଶ ପାଇଁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ବିକାଶ ନିମନ୍ତେ ୨୦୧୫ରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ମାଧ୍ୟମରେ ପ୍ରାୟ ୧୧୦୦ କୋଟି ଟଙ୍କା ଜମା ହୋଇଛି। ଏଥିରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୁଳକ କାର୍ଯ୍ୟ ନିମନ୍ତେ ବ୍ୟୟ ବରାଦ କରାଯାଉଛି ବୋଲି ଶ୍ରୀ ଓରାମ କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ରାଜ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଗତ ୭୦ବର୍ଷ ମଧ୍ୟରେ ଦେଶରେ ହୋଇଥିବା ବିକାଶ କାର୍ଯ୍ୟର ତୁଳନା ଗତ ତିନିବର୍ଷର ବିକାଶ କାର୍ଯ୍ୟ ସହିତ କରିବା ପାଇଁ ଆହ୍ୱାନ ଦେଇଥିଲେ। କେନ୍ଦ୍ରରେ ନେତୃତ୍ୱାଧିନ ଏନ୍ଡିଏ ସରକାର ଦେଶର ପୂର୍ବାଞ୍ଚଳରେ ଥିବା ରାଜ୍ୟଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାରୁ ଉଡ଼ିଶା ଏଥିରୁ ଉପକୃତ ହେଉଛି ଓ ହେବ ବୋଲି କହିଥିଲେ। ଧାମରା ବନ୍ଦରରୁ ଆରମ୍ଭ ହେବାକୁଥିବା ପାଇପ୍ ଲାଇନ୍ ମାଧ୍ୟମରେ ଏଲ୍ପିଜି ଗ୍ୟାସ୍ ସେବାକୁ ରାଉରକେଲା ସହରକୁ ଯୋଗାଇଦେବାପାଇଁ ବିଧାୟକ ଦିଲ୍ଲୀପ୍ ରାୟ କରିଥିବା ଅନୁରୋଧ ବାବଦରେ ସେ ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ସେହିପରି ଆଇଜିଏଚ୍କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଓ ମେଡିକାଲ୍ କଲେଜ୍ରେ ପରିଣତ କରାଯିବା କାର୍ଯ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିୟନ୍ତ୍ରଣ ଓ ସମୀକ୍ଷା କରୁଥିବାରୁ ଏହି କାର୍ଯ୍ୟ ଯଥାଶୀଘ୍ର ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ରାଜ୍ୟ ଖଣି ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଉରକେଲା ଇସ୍ପାତ କାରଖାନା ସ୍ଥାପନା ଯୋଗୁଁ ଏହି ସହର ଏକ ବିକଶିତ ସହରରେ ପରିଣତ ହୋଇଥିଲାବେଳେ ଏହି ସହର ଦେଇ ଯାଇଥିବା ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପରେ ସହରର ବିକାଶ ଅଧିକ ହେବ ବୋଲି କହିଥିଲେ। ବିଧାୟକ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯାଇଥିଲାବେଳେ ଏହି ସହରର ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ମିଳିଛି, କିନ୍ତୁ ମହାନଗର ନିଗମର ନିର୍ବାଚନ ହେଉ ନଥିବାରୁ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି କହିଥିଲେ।
ଏଥିରେ ବିଧାୟକ ସୁବ୍ରତ ତରାଇ ଯୋଗଦେଇ ଆଇଜିଏଚ୍କୁ ତୁରନ୍ତ ମେଡିକାଲ୍ କଲେଜ୍ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ପରିଣତ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ବସନ୍ତ ପଣ୍ଡା ଓ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ଯନ୍ତ୍ରୀ ଆଇ କେ ପାଣ୍ଡେ ସ୍ୱାଗତ ଭାଷଣ ଦେଇଥିଲାବେଳେ ଶେଷରେ ଓଡ଼ିଶା ବିଭାଗୀୟ ମୁଖ୍ୟ ମହାପ୍ରବନ୍ଧକ ଧର୍ମାନନ୍ଦ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ନିର୍ଦ୍ଧାରିତ ସମୟର ପ୍ରାୟ ୧ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲାବେଳେ ସଭାରେ ସୁବ୍ରତ ତରାଇ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଆରୋପ ଓ ପ୍ରତ୍ୟାରୋପ ଓ ମୁଖ୍ୟମନ୍ତ୍ରୀଙ୍କ ଚିଠିଲେଖା ଆଲୋଚନା ବେଶ୍ ରୋଚକ ହୋଇଥିଲା। ସେହିପରି ଜୁଏଲଙ୍କ ଆଗେ ମାଟି ଓ ପରେ ପାର୍ଟି ସହିତ ଦଳ ମତ ନିର୍ବିଶେଷରେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କ୍ଷେତ୍ରରେ ନିଜ ନିଜ ମାଧ୍ୟମରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେବା ଉଲ୍ଲେଖନୀୟ ଥିଲା।