ସୁନ୍ଦରଗଡ଼ ଜିଲ୍ଲାର ଲଳିତା ଖଣ୍ଡା ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର
ରାଉରକେଲା: ସମଗ୍ରଦେଶରେ ଆଜି ପାଳିତ ହେଉଛି ଗୁରୁଦିବସ । ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ବଛାବଛା ଶିକ୍ଷକମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥାଏ । ଏହି କ୍ରମରେ ଆଜି ପୁରସ୍କୃତ ହୋଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଓଡ଼ିଶାର ମୋଟ ୧୧ଜଣ ରହିଥିଲାବେଳେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଲଳିତା ଖଣ୍ଡା ଅନ୍ୟତମ। ସୁନ୍ଦରଗଡ଼ ସହରର ଉପକଣ୍ଠରେ ଅବସ୍ଥିତ ଗରିଆମାଲ୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତା ଖଣ୍ଡା ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ମାନପତ୍ର ଓ ନଗଦ ଅର୍ଥ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଶ୍ରୀମତୀ ଖଣ୍ଡା ଜଣେ ସୁଲେଖିକା ସହିତ ସୁସଙ୍ଗଠିକା ମଧ୍ୟ ଅଟନ୍ତି। ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ସୁନ୍ଦରଗଡ଼ ପରି ଉପାନ୍ତ ସହରରେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଛନ୍ତି ଶ୍ରୀମତୀ ଲଳିତା ଖଣ୍ଡା ଏକାଧିକ ସମ୍ମାନ ଓ ପୁରସ୍କାର ପାଇଥିବା ଶ୍ରୀମତୀ ଖଣ୍ଡା ନିଜସ୍ବ ଉଦ୍ୟମରେ ‘ଲାବଣ୍ୟ’ ନାମକ ଏକ ସାହିତ୍ୟ ପତ୍ରିକା ଆରମ୍ଭ କରିଥିଲେ ବିଶେଷ କରି ନାରୀମାନଙ୍କର ବିଭିନ୍ନ ସମସ୍ୟା ଓ ବିଷୟ ଉପରେ ଗଳ୍ପ ଲେଖି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେ ସେହିପରି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହିତ ମଧ୍ୟ ସେ ଜଡ଼ିତ। ସୁନ୍ଦରଗଡ଼ ଜିଲ୍ଲାରୁ ଏକମାତ୍ର ଶିକ୍ଷକ ଭାବେ ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନ ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।