ରାଜ୍ୟ ମହିଳା କମିଶନ୍ ପକ୍ଷରୁ ରାଉରକେଲାଠାରେ ଜିଲ୍ଲାସ୍ତରୀୟ କୋର୍ଟ ଅନୁଷ୍ଠିତ
ରାଜ୍ୟ ମହିଳା କମିଶନ୍ ପକ୍ଷରୁ ରାଉରକେଲାଠାରେ ଜିଲ୍ଲାସ୍ତରୀୟ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆର୍ଡିଏ ପରିସରରେ ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ୨ଜଣ ସଦସ୍ୟା କୁଶୁମ ରଥ ଓ ସ୍ନେହାଞ୍ଜଳି ମହାନ୍ତି ମଧ୍ୟ ଉପସ୍ଥିତ ରହି ପୂର୍ବ ନିର୍ଦ୍ଧାରିତ ସୂଚନା ମୁତାବକ ବିଭିନ୍ନ ମାମଲାର ଶୁଣାଣି କରାଯାଇଥିଲା। ଏହି ଅବସରରେ ପୂର୍ବରୁ ସୂଚନା ଦିଆଯାଇଥିବା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହିଳାମାନଙ୍କ ସମ୍ପର୍କିତ ମୋଟ ୩୪ଟି ମାମଲା ଶୁଣାଣି ପାଇଁ ସ୍ଥିର କରାଯାଇଥିଲା। ଏହି ମାମଲାଗୁଡ଼ିକ ବାବଦରେ ନିଜେ କମିଶନ୍ର ଅଧ୍ୟକ୍ଷାଙ୍କ ସହିତ ୨ଜଣ ସଦସ୍ୟା ଅଲଗା ଅଲଗା ଶୁଣାଣି କରିଥିଲେ। ସୂଚନା ମୁତାବକ ଏହି କ୍ୟାମ୍ପ କୋର୍ଟରେ ମୋଟ ୨୧ଟି ମାମଲାର ଶୁଣାଣି ହୋଇଥିଲାବେଳେ ବିଭିନ୍ନ କାରଣରୁ ୪ଟି ମାମଲାକୁ ବନ୍ଦ ଏବଂ କେତେକ ଆବଶ୍ୟକ ତଥ୍ୟ ଓ ସୂଚନା ପାଇଁ ୯ଟି ମାମଲାକୁ ପରବର୍ତ୍ତୀ ସମୟରେ ଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ଶୁଣାଣି ହୋଇଥିବା ୨୧ଟି ମାମଲା ମଧ୍ୟରୁ ୨ଟି ମାମଲାରେ ବାଦୀ ଓ ପ୍ରତିବାଦୀମାନେ ନିଜ ନିଜ ମଧ୍ୟରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିଥିଲାବେଳେ କମିଶନ୍ଙ୍କ ଶୁଣାଣି ସମୟରେ ୬ଟି ମାମଲାର ଅପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା। ଏହା ସହିତ ଗୋଟିଏ ମାମଲା ରାଉରକେଲା ଏସ୍ପି, ଗୋଟିଏ ମାମଲା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଓ ଗୋଟିଏ ମାମଲା ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ସମାଧାନ କରିବା ପାଇଁ କମିଶନ୍ଙ୍କ ପକ୍ଷରୁ ପ୍ରଦତ୍ତ କରାଯାଇଥିଲା। ସେହିପରି ୮ ଟି ମାମଲାରେ ବାଦୀ ଓ ପ୍ରତିବାଦୀ (ଉଭୟ ପକ୍ଷ) ଅନୁପସ୍ଥିତ ରହିଥିବା କାରଣରୁ ଏ ନେଇ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ପୋଲିସ୍କୁ ହସ୍ତାନ୍ତର କରାଯାଇଥିଲାବେଳେ ଅନ୍ୟ ୨ଟି ମାମଲା ରାଜ୍ୟ ଉଚ୍ଚନ୍ୟାୟାଳୟରେ ବିଚାରାଧିନ ରହିଥିବାରୁ ଏ ନେଇ କମିଶନ୍ କୌଣସି ନିଷ୍ପତ୍ତି ନେଇ ନଥିଲେ।
ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଭୁପେନ୍ଦ୍ର ସିଂହ ପୁନିଆଙ୍କ ସମେତ ରାଉରକେଲା ଏସ୍ପି ଅନିରୁଦ୍ଧ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲାବେଳେ କମିଶନଙ୍କ ସହାୟତା ପାଇଁ କମିଶନ୍ଙ୍କ ସ୍ୱତନ୍ତ୍ର ସହାୟକ ଦେବାଶିଷ ମହାନ୍ତି ଓ ଆଇନ ସହାୟକ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନେକ ଦିନର ବ୍ୟବଧାନ ପରେ ଏକ ପୂର୍ଣ୍ଣ ମହିଳା କମିଶନ୍ଙ୍କ କ୍ୟାମ୍ପ କୋର୍ଟ ରାଉରକେଲାଠାରେ ଅନୁଷ୍ଠିତ ହେଉଥିବାରୁ ଏଥିରେ ଅନେକ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ।