ଓଡ଼ିଶାରେ ଉଦ୍ୟୋଗ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ନୂତନ ସମ୍ଭାବନା ଓ ସୁଯୋଗ ବାବଦରେ ପ୍ରଥମ ସଚେତନତା କର୍ମଶାଳା ରାଉରକେଲାରୁ ଆରମ୍ଭ
ରାଉରକେଲା: ଓଡ଼ିଶାରେ ନୂତନ ଉଦ୍ୟୋଗ ଓ ଶିଳ୍ପ ପ୍ରତିଷ୍ଠା ସହିତ ରାଜ୍ୟରେ ଥିବା ବିଭିନ୍ନ ଉଦ୍ୟୋଗ ଓ ଶୁଳ୍ପାନୁଷ୍ଠାନଗୁଡ଼ିକପାଇଁ ଅଧିକ ସୁଯୋଗ ପ୍ରଦାନ ନିମନ୍ତେ ୨୦୧୫ ମସିହାରେ ରାଜ୍ୟ ସରକାର କେତେକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉଦ୍ୟୋଗୀ ଓ ଶିଳ୍ପପତିମାନଙ୍କୁ ବାରମ୍ବାର ଶିଳ୍ପ ବିଭାଗ ଓ ଏହି ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ାଦୌଡ଼ି ନକରି ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟବ୍ୟବସ୍ଥା ପରିଚାଳନା ନିମନ୍ତେ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହିସବୁ ନୂତନ ବ୍ୟବସ୍ଥା ବାବଦରେ ଅଧିକ ସଚେତନତା ସୃଷ୍ଟି ଏବଂ ଏ ନେଇ ଆଗ୍ରହୀ ଉଦ୍ୟୋଗୀ ଓ ଶିଳ୍ପପତିମାନଙ୍କୁ ସଚେତନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍ଏସ୍ଏମ୍ଇ) ବିଭାଗ ମିଳିତ ଆନୁକୂଲ୍ୟରେ ପ୍ରଥମ କର୍ମଶାଳା ରାଉରକେଲା ସ୍ଥିତ ହୋଟେଲ ମେ ଫେୟାର୍ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅଳ୍ପ ଦିନ ମଧ୍ୟରେ ଏହିପରି ୫ଟି କର୍ମଶାଳା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।
ଆଜି ରାଉରକେଲାରେ ଅନୁଷ୍ଠିତ କର୍ମଶାଳାକୁ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଗଗନ କୁମାର ଧଳ ଉଦ୍ଘାଟନ କରିଥିଲେ। ୬୦ ଓ ୭୦ ଦଶକରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାକୁ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା ନେତୃତ୍ୱ ଦେଇଥିଲାବେଳେ ବର୍ତ୍ତମାନ ସମୟରେ ମଧ୍ୟ ସେହିପରି ନେତୃତ୍ୱ ନେବାର ସମୟ ଆସିଛି ବୋଲି ଶ୍ରୀ ଧଳ ଏହି ଅବସରରେ ଆଶାବ୍ୟକ୍ତ କରିଥିଲେ। ୨୦୧୫ ମସିହାରେ ରାଜ୍ୟସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ନୂତନ ପଦକ୍ଷେପ ଫଳରେ ରାଜ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅନେକ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଏକଦା ପାଠପଢ଼ି ଚାକିରୀ କରିବା ପାଇଁ ଚିନ୍ତା କରୁଥିବା ଓଡ଼ିଶାର ଶିକ୍ଷିତ ଯୁବକମାନେ ଏହି ସୁଯୋଗର ସଦ୍ଉପଯୋଗ କରି ଜଣେ ଜଣେ ସଫଳ ଉଦ୍ୟୋଗୀ ହେବା ନିମନ୍ତେ ଆଗେଇ ଆସିବା ସହିତ ଅନ୍ୟମାନଙ୍କୁ ଚାକିରୀରେ ରଖିବା ପାଇଁ ଶ୍ରୀ ଧଳ ଆହ୍ୱାନ ଦେଇଥିଲେ। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇ-ବିଜ୍ ବ୍ୟବସ୍ଥାକୁ ଅଧିକରୁ ଅଧିକ ଉଦ୍ୟୋଗୀ ଓ ଶିଳ୍ପପତିମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏହିପରି କର୍ମଶାଳା ବେଶ୍ ସହାୟକ ହେବ ବୋଲି ଶ୍ରୀ ଧଳ ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଉଦ୍ବୋଧନ ଦେଇ ଶିଳ୍ପ ବିଭାଗ ପକ୍ଷରୁ ନିଆଯାଇଥିବା ନୂତନ ବ୍ୟବସ୍ଥା ବାବଦରେ ସୂଚନା ଦେବା ସହ ଏହାର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବାବଦରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ବି କେ ଦାସ ସୂଚନା ଦେବା ସହିତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।
ଏଥିରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୁଷଣ ବେହେରା ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍ କାଲାମଙ୍କ ଉକ୍ତି ଉଦ୍ଧାର କରି ବଡ଼ ସ୍ୱପ୍ନ ଦେଖ ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ଉଦ୍ୟମ କରିବା ପାଇଁ ନୂତନ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ଭୁପେନ୍ଦ୍ର ସିଂହ ପୁନିଆ କାର୍ଯ୍ୟକ୍ରମରେ ଯୋଗଦେଇ ସୁନ୍ଦରଗଡ଼ ପରି ଶିଳ୍ପସମୃଦ୍ଧ ଜିଲ୍ଲାରେ ଏହିପରି କାର୍ଯ୍ୟକ୍ରମର ଆୟୋଜନକୁ ସ୍ୱାଗତ କରିବା ସହିତ ଏହା ମାଧ୍ୟମରେ ଶିଳ୍ପପତି ଓ ଉଦ୍ୟୋଗୀମାନେ ଅନେକ ସାହାଯ୍ୟ ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥିଭାବେ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସମରେନ୍ଦ୍ର ସାହୁ ଯୋଗଦେଇ ପ୍ରତିଷ୍ଠାନ ମାଧ୍ୟମରେ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୂଚନା ଦେଇଥିଲେ। ଏହି ଅବସରରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକମାନଙ୍କୁ ଅତିଥିମାନେ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଇ-ବିଜ୍ ବ୍ୟବସ୍ଥା ମାଧ୍ୟମରେ କିପରି ନୂତନ ଉଦ୍ୟୋଗୀମାନେ ଅନେକ ପ୍ରକାରର କାର୍ଯ୍ୟ କମ୍ପୁଟର୍ ଓ ଇଣ୍ଟର୍ନେଟ୍ ମାଧ୍ୟମରେ କରିପାରିବେ , ତାହା ଉପରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ବ୍ୟବସ୍ଥା ବାବଦରେ ଉପସ୍ଥିତ ଉଦ୍ୟୋଗୀ ଓ ଶିଳ୍ପପତିମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲାବେଳେ ବରିଷ୍ଠ ଅଧିକାରୀମାନେ ଏହାର ଉତ୍ତର ଦେଇଥିଲେ।