ଜୁଲାଇ ୧ ତାରିଖରୁ ୨ ମାସ ପାଇଁ ରାଉରକେଲାରେ ପାସ୍ପୋର୍ଟ ସେବା ଶିବିର
ରାଉରକେଲା: ଜୁଲାଇ ୧ ତାରିଖରୁ ଦୁଇମାସ ପାଇଁ ରାଉରକେଲାଠାରେ ପାସପୋର୍ଟ ସେବା ଶିବିର ଅନୁଷ୍ଠିତ ହେବ। ସ୍ଥାନୀୟ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ଅଧିନରେ କାର୍ଯ୍ୟକରିବାକୁ ଥିବା ଏହି ଶିବିର ଓ ଏଠାରେ ଉପଲବ୍ଧ ସେବା ବାବଦରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଅଧିକାରୀ ଡ. ଦିଗ୍ବିଜୟ ଗିରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶା ଶିଖ୍ କଲ୍ୟାଣ ସମାଜ ପକ୍ଷରୁ ହୋଇଥିବା ଅନୁରୋଧ କ୍ରମେ ରାଉରକେଲାରେ ହେବାକୁ ଥିବା ଏହି ଦୁଇମାସଧରି ହେବାକୁ ଥିବା ଶିବିର ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ଆବେଦନକାରୀମାନେ ସୁବିଧା ପାଇପାରିବେ। ପୂର୍ବରୁ ଏହି ଅଞ୍ଚଳର ଆବେଦନକାରୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ ନିମନ୍ତେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଉରକେଲା ଶିବିର ମାଧ୍ୟମରେ ଏହି ୪ଟି ଜିଲ୍ଲାର ପାସ୍ପୋର୍ଟ ଆବେଦନକାରୀମାନେ ସେମାନଙ୍କର କାଗଜପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ ଏଠାରେ କରାଇପାରିବେ ବୋଲି ଡ. ଗିରି ସୂଚନା ଦେଇଥିଲେ। ତତ୍କାଳ ପାସ୍ପୋର୍ଟ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ପାସପୋର୍ଟ ଆବେଦନକାରୀମାନେ ଏହି ଶିବିର ମାଧ୍ୟମରେ ସୁବିଧା ପାଇପାରିବେ ବୋଲି ସେ କହିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାସ୍ପୋର୍ଟ ଆବେଦନକାରୀଙ୍କ ପାଇଁ ଆବଶ୍ୟକ ବିଭିନ୍ନ ସୂଚନା ଓ ତଥ୍ୟ ବାବଦରେ ସବିଶେଷ ଆଲୋଚନା ହୋଇଥିଲା। ଆସନ୍ତା ଦୁଇମାସ ପାଇଁ ହେବାକୁ ଥିବା ଏହି ଶିବିରର ମାଧ୍ୟମରେ ଦୈନିକ ୧୦୦ଜଣ ଆବେଦକଙ୍କ କାଗଜପତ୍ର ଯାଞ୍ଚ ଓ ଅନ୍ୟ ପ୍ରକ୍ରିୟା ସମସ୍ତ ସରକାରୀ କାର୍ଯ୍ୟଦିବସମାନଙ୍କରେ ହେବ। ଏଥିପାଇଁ ଉପରୋକ୍ତ ୪ଟି ଜିଲ୍ଲାର ଆବେଦନକାରୀମାନେ ପାସ୍ପୋର୍ଟ ସେବା ପୋର୍ଟାଲ୍(www.passportindia.gov.in) ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ ବୋଲି ଡ. ଗିରି କହିଥିଲେ। ଏହି ଅବସରରେ ରାଉରକେଲା ଜିଲ୍ଲା ପୋଲିସ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର, ଓଡ଼ିଶା ଶିଖ୍ କଲ୍ୟାଣ ସମାଜ ପକ୍ଷରୁ ଏସ୍ ଇନ୍ଦରଜିତ୍ ସିଂହ ସାନ୍ଧୁ ଏବଂ ଭୁବନେଶ୍ୱର ପାସ୍ପୋର୍ଟ କାର୍ଯ୍ୟାଳୟର ଅଧିକାରୀ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।