ରାଉରକେଲାଠାରେ ପାସ୍ପୋର୍ଟ ସେବା ଶିବିର ଉଦ୍ଘାଟିତ
ରାଉରକେଲାଠାରେ ପାସପୋର୍ଟ ସେବା ଶିବିର ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ପଶ୍ଚିମାଞ୍ଚଳ ପୋଲିସ୍ ଆଇଜି ରାଧାକୃଷ୍ଣ ଶର୍ମା ଏହାକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିବା ସହିତ ଏହା ମାଧ୍ୟମରେ ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ଆବେଦନକାରୀମାନେ ସୁବିଧା ପାଇପାରିବେ ବୋଲି କହିଥିଲେ। ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ଚାଲିବାକୁ ଥିବା ଏହି ଶିବିର ସଫଳତା ସହିତ କାର୍ଯ୍ୟ କଲେ, ଆସନ୍ତା ଦିନରେ ଏକ ପୂର୍ଣ୍ଣକାଳୀନ ପାସ୍ପୋର୍ଟ ସେବା କାର୍ଯ୍ୟାଳୟ ଏଠାରେ ଖୋଲାଯିବା ଯୋଜନା ପାଇଁ ଏହା ସହାୟକ ହେବ ବୋଲି ଶ୍ରୀ ଶର୍ମା ଏହି ଅବସରରେ ସୂଚନା ଦେଇଥିଲେ। ତେଣୁ ଆସନ୍ତା ୨ମାସ ମଧ୍ୟରେ ଏହି ଶିବିର ମାଧ୍ୟମରେ ଅଧିକରୁ ଅଧିକ ଆବେଦନକାରୀ ପାସ୍ପୋର୍ଟ ସେବା ପାଇବା ପାଇଁ ଆବେଦନ କରିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟମାନେ ମିଳିତ ଉଦ୍ୟମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଆଜି ସ୍ଥାନୀୟ ପୋଲିସ୍ ମୁଖ୍ୟାଳୟ ଅଧିନସ୍ଥ ସିସିଟିଏନ୍ଏସ୍ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଆରମ୍ଭ ହୋଇଥିବା ଏହି ଶିବିର ଉଦ୍ଘାଟନୀ ଅବସରରେ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କେନ୍ଦ୍ରର ଅଧିକାରୀ ଡ. ଦିଗ୍ବିଜୟ ଗିରି, ରାଉରକେଲା ପୋଲିସ୍ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ କୁମାର ସିଂହ, ରାଉରକେଲା ବନଖଣ୍ଡ ଅଧିକାରୀ ଡ. ସଞ୍ଜୀତ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବରୁ ଆଜି ତାରିଖ ପାଇଁ ଆବେଦନ କରିଥିବା ଆବେଦବକାରୀମାନଙ୍କର କାଗଜପତ୍ର ଯାଞ୍ଚ ସହିତ ବାୟୋମେଟ୍ରିକ୍ ତଥ୍ୟ ନେବା କାର୍ଯ୍ୟ ହୋଇଥିଲା।