ରେଳ ବିଭାଗ ପକ୍ଷରୁ ୨୬ରୁ ‘ରେଳ ହମ୍ସଫର୍’ ସପ୍ତାହ ପାଳନ
ରାଉରକେଲା: ଆସନ୍ତା ୨୬ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ ‘ରେଳ ହମ୍ସଫର୍’ ସପ୍ତାହ ପାଳିତ ହେବ। ଏହା ମାଧ୍ୟମରେ ଜନସାଧାରଣଙ୍କ ସହ ରେଳ ବିଭାଗର କର୍ମଚାରୀ ତଥା ବରିଷ୍ଠ ଅଧିକାରୀଙ୍କର ସୁସମ୍ପର୍କ ସ୍ଥାପନା, ବିଭାଗ ତରଫରୁ ରେଳଯାତ୍ରୀ ଓ ରେଳ ସୁବିଧା ପାଉଥିବା ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ପାଇଁ ଗତ ଦୁଇବର୍ଷ ମଧ୍ୟରେ ଏନ୍ଡିଏ ସରକାରଙ୍କ ପକ୍ଷରୁ କରାଯାଇଥିବା ନୂତନ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ଆଦିର ରୂପାୟନ ବାବଦରେ ଭାବ ବିନିମୟ ମାଧ୍ୟମରେ ପଦକ୍ଷେପ ନିଆଯିବ। ଆସନ୍ତା ୨୬ ତାରିଖ ସକାଳ ୧୦ଟାରେ ରାଉରକେଲା ରେଳ ଷ୍ଟେସନଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ଏହିଦିନଟିକୁ ସ୍ୱଚ୍ଛତା ଦିବସ ଭାବରେ ପାଳନ କରାଯିବ। ରେଳଷ୍ଟେସନର ଅଧିକାରୀମାନଙ୍କ ସହ ଅନ୍ୟ କର୍ମଚାରୀମାନେ ରେଳ ଷ୍ଟେସନର ବିଭିନ୍ନ ଏବଂ ରେଳ ଗାଡ଼ିଗୁଡ଼ିକର ପରିଷ୍କାର ପରିଛନ୍ନତା ବାବଦରେ ଯାତ୍ରୀମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ଚକ୍ରଧରପୁର ମଣ୍ଡଳର ବରିଷ୍ଠ ରେଳବିଭାଗ ଅଧିକାରୀ ରାଜୀବ ରଂଜନ ତଦାରଖ କରିବେ ବୋଲି ଜଣାପଡ଼ିଛି। ସେହିପରି ଆସନ୍ତା ୨୭ ତାରିଖ ଦିନ ସତ୍କାର ଦିବସ ପାଳନ କରାଯିବା ଅବସରରେ ରେଳରେ ପାନୀୟ ଜଳର ବ୍ୟବସ୍ଥା, ଖାଦ୍ୟ ପ୍ରସ୍ତୁତି ଓ ଏହାର ବିଶୁଦ୍ଧତା ଉପରେ ଯାତ୍ରୀମାନଙ୍କର ମତାମତ ନିଆଯିବ । ୨୮ ତାରିଖ ଦିନ ସେବା ଦିବସ ଭାବରେ ପାଳନ କରାଯିବା ସହ ବିଭିନ୍ନ ସ୍ଥାନକୁ ଯାତ୍ରାକରୁଥିବା ରେଳମାନଙ୍କରେ ରେଳ ବିଭାଗୀୟ ଅଧିକାରୀମାନେ ଯାତ୍ରୀମାନଙ୍କ ସହ ଯାତ୍ରାରେ ଯୋଗଦେଇ ସେମାନଙ୍କ ସୁବିଧା, ଅସୁବିଧା ବାବଦରେ ତଦାରଖ କରିବେ। ସେମାନଙ୍କଠାରୁ ମତାମତ ନେବା ସହ ଆଗାମୀ ଦିନରେ କିଭଳି ଅଧିକ ଉତ୍କୃଷ୍ଟ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯିବ। ମଇ ୨୯ ତାରିଖକୁ ସତର୍କତା ଦିବସ ଭାବରେ ପାଳନ କରାଯିବ। ଏହି ଦିନ ପ୍ରତିଟି ରେଳଯାତ୍ରା ସମୟରେ କିଭଳି ସମୟାନୂବର୍ତ୍ତିତା ହୋଇପାରିବ ସେ ଦିଗରେ ଧ୍ୟାନ ଦିଆଯିବ। ତାହା ସହ ରେଳଯାତ୍ରା ସମୟରେ ଘଟୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟ ସହିତ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା ବାବଦରେ ତଦାରଖ ସହ ମତ ବିନିମୟ ହେବ। ୩୦ ତାରିଖ ଦିନ ତ୍ସାମଞ୍ଜସ୍ୟ ଦିବସ ଭାବରେ ପାଳନ କରାଯିବା ସହ ରେଳ ବିଭାଗରେ କାମକରୁଥିବା କର୍ମଚାରୀମାନଙ୍କ କଲୋନୀମାନଙ୍କରେ ବିଭିନ୍ନ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ ସହିତ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଦିଗରେ ଦୃଷ୍ଟି ଦିଆଯିବ। ଏହା ସହ ରାଉରକେଲା ରେଳବିଭାଗ ତରଫରୁ ବୃକ୍ଷରୋପଣ ଦିଗରେ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ୩୧ ତାରିଖ ଦିନ ସଂଯୋଜନା ଦିବସ ଭାବରେ ପାଳନ କରାଯିବା ସହ ରେଳ ବିଭାଗକୁ ବ୍ୟବସାୟୀ ଭିତ୍ତିରେ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ସମସ୍ୟା ଦିଗରେ ଅଧିକାରୀମାନେ ଦୃଷ୍ଟି ଦେବେ। ଏହା ସହିତ ରେଳ ବିଭାଗରେ କିଭଳି ରାଜସ୍ୱ ବୃଦ୍ଧି କରାଯାଇପାରିବ ଓ ବିନା ଟିକେଟରେ ଯାତ୍ରା ତଥା ପରିବହନ କରୁଥିବା ଲୋକମାନଙ୍କୁ ରୋକାଯାଇ ପାରିବ ସେ ବାବଦରେ ଦୃଢ ପଦକ୍ଷେପ ନିଆଯିବା ସେ ନେଇ ମତ ବିନିମୟ କରାଯିବ। ଶେଷ ଦିବସ ଜୁନ ୧ ତାରିଖ ଦିନ ସଂଚାର ଦିବସ ଭାବରେ ପାଳନ କରାଯିବା ସହ ଚକ୍ରଧରପୁର ମଣ୍ଡଳର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମ କରାଯିବ। ହମ୍ସଫର୍ ସପ୍ତାହ ପାଳନ ଅବସରରେ ହୋଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଏହି ଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯିବ। ଏଭଳି କାର୍ଯ୍ୟକ୍ରମ ରେଳ ମନ୍ତ୍ରାଳୟ ତରଫରୁ ପ୍ରଥମଥର ଆୟୋଜନ କରାଯାଉଥିବା ବେଳେ ଏହା ଦ୍ୱାରା ବିଭିନ୍ନ ସମୟରେ ରେଳଯାତ୍ରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ଏକ ରାସ୍ତା ବାହାରି ପାରିବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଏକ ସପ୍ତାହବ୍ୟାପି ସର୍ବଭାରତୀୟସ୍ତରରେ ପାଳନ କରାଯାଉଥିବା ବେଳେ ରାଉରକେଲାରେ ମଧ୍ୟ ଏହା ପାଳନ କରାଯିବ ବୋଲି ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ନରେନ୍ଦ୍ର କୁମାର ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅବସରରେ ରାଉରକେଲା ରେଳଷ୍ଟେସନର ପ୍ରବନ୍ଧକ ଏ.କେ.ମିଶ୍ରଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।