ରାଉରକେଲାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଶିଳାନ୍ୟାସ
ରାଉରକେଲା: ଦେଶର ଅନ୍ୟତମ ପୂରାତନ ରେଳ ଲାଇନ୍ ଭାବେ ପରିଚିତ ମୁମ୍ବାଇ – ହାଓଡ଼ା ରେଳପଥ ଅନ୍ତର୍ଗତ ରାଉରକେଲା-ଝାରସୁଗୁଡ଼ା ରେଳ ସେକ୍ସନ୍ରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ଆଜି ରାଉରକେଲାଠାରେ ଶିଳାନ୍ୟାସ ହୋଇଯାଇଛି। ରାଉରକେଲା ରେଳ ଷ୍ଟେସନ୍ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଆଶିଷ କୁମାର ଗୋଏଲ ସ୍ୱାଗତ ଭାଷଣ ଦେଇ ଦକ୍ଷିଣ ପୂର୍ବ ରେଳ ପଥ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷର ଫେବୃଆରୀ ମାସ ଶେଷ ସୁଦ୍ଧା ୧୨୧ ମିଲିଅନ୍ ଟନ୍ ମାଲ୍ ପରିବହନ ହୋଇଥିଲାବେଳେ ଏହି ସମୟ ମଧ୍ୟରେ ୧୧,୭୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି ବୋଲି କହିଥିଲେ। ଏହା ସହିତ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଏକାଧିକ ଯାତ୍ରୀ ସୁବିଧାର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଥିଲେ। ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିହ୍ନା ତାଙ୍କ ବକ୍ତବ୍ୟରେ ନିକଟରେ ସଂସଦରେ ଉପସ୍ଥାପିତ ରେଳ ବଜେଟ୍ରେ ଓଡ଼ିଶା ପାଇଁ ହୋଇଥିବା ବିଭିନ୍ନ ରେଳ ସୁବିଧା ସମ୍ପର୍କରେ ସବିଶେଷ ସୂଚନା ଦେଇ ବିଗତ ବର୍ଷମାନଙ୍କରେ ରେଳାବାଇ ପକ୍ଷରୁ ଓଡ଼ିଶା ପ୍ରତି ହୋଇଥିବା ପାତର ଅନ୍ତର କଥା ମାନିଥିଲେ। କିନ୍ତୁ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଶାସନ କରୁଥିବା ସରକାର ପକ୍ଷରୁ କ୍ରମାଗତଭାବେ ଓଡ଼ିଶାର ବିଭିନ୍ନ ରେଳବାଇ ସୁବିଧା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଥିବା ବାବଦରେ ସୂଚନା ଦେଇଥିଲେ। ସେହିପରି ରାଉରକେଲା ରେଳ ଷ୍ଟେସନ୍ରେ ଚଳିତ ବର୍ଷ ଶେଷ ସୁଦ୍ଧା ସ୍ୱୟଂଚାଳିତ ଶିଢ଼ି ବ୍ୟବସ୍ଥା ସହିତ ଲିଫ୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଶ୍ରୀ ସିହ୍ନା ସୂଚନା ଦେଇଥିଲେ।
ଆଜି ରାଉରକେଲାକୁ ତାଙ୍କର ପ୍ରଥମ ଗସ୍ତ ଅବସରରେ ସହର ଓ ଆଖପାଖ ଅଞ୍ଚଳର ଅନେକ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ରେଳ ସୁବିଧା ସମ୍ପର୍କୀତ ଦିଆଯାଇଥିବା ବିଭିନ୍ନ ଦାବୀପତ୍ର ଓ ଆଲୋଚନା ବାବଦରେ ସୂଚନା ଦେଇ ଏହିସବୁ ଦାବି ବାବଦରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ବିଶେଷ କରି ଏଠାରୁ କେତୋଟି ନିର୍ଦ୍ଦିଷ୍ଟ ଟ୍ରେନ୍ ଚଳାଚଳ ବାବଦରେ ହୋଇଥିବା ଦାବି ବାବଦରେ ସେ ଅବଗତ ଅଛନ୍ତି ଏବଂ ଏଥିପାଇଁ ଏଠାରେ ୱାସିଂ ସୁବିଧା ଆବଶ୍ୟକ ବୋଲି କହିଥିଲେ। ସମ୍ପ୍ରତି ଏଠାରେ ମାତ୍ର ୧୩/୧୪ଟି କୋଚ୍ ଥିଲାବାଲା ୱାସିଂ ସୁବିଧା ରହିଥିଲାବେଳେ ଆସନ୍ତା ଦିନରେ ୨୪/୨୬ଟି କୋଚ୍ ଥିଲାବାଲା ୱାସିଂ ସୁବିଧା ଉପଲବ୍ଧ ହେବ। ଏହା ପରେ ଯାଇ ଏଠାରୁ ଦୂରଗାମୀ ଟ୍ରେନ ଚାଲିବା ସମ୍ଭବ ହେବ ବୋଲି ମନ୍ତ୍ରୀ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତି ମୁତାବକ ଦେଶର ପୂର୍ବାଞ୍ଚଳରେ ହେବାକୁ ଥିବା ସ୍ୱତନ୍ତ୍ର ମାଲ୍ବାହୀ ରେଳଲାଇନ ବ୍ୟବସ୍ଥା (freight corridor) ଅନ୍ତର୍ଗତ ଖଡ଼ଗପୁର-ମୁମ୍ବାଇ ରେଳଲାଇନ୍ ମଧ୍ୟରେ ରାଉରକେଲା ରହୁଥିବାରୁ ଏହାର ସୁବିଧା ଏଠିକାର ଅଧିବାସୀ ପାଇବେ ବୋଲି ମନ୍ତ୍ରୀ କହିଥିଲେ। ଏକ କ୍ଷୁଦ୍ର ଭାରତଭାବେ ପରିଚିତ ରାଉରକେଲାରେ ରହୁଥିବା ଦେଶର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଅବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ଆସନ୍ତା ଦିନରେ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ସିହ୍ନା ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ଓରାମ, ଶ୍ରୀ ପ୍ରଧାନଙ୍କ ସମେତ ବିଧାୟକ ଦିଲ୍ଲୀପ ରାୟ ବକ୍ତବ୍ୟ ରଖିଥିଲେ।
ସୂଚନାଯୋଗ୍ୟ ଯେ, ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତ୍ରୀ ଓ ମାଲ ପରିବହନ ଭିଡ଼କୁ ଦୃଷ୍ଟିରେ ରଖି ୧୦୧ କିଲୋମିଟର ଦୂରତା ବିଶିଷ୍ଟ ଏହି ଦୁଇ ଷ୍ଟେସନ୍ ମଧ୍ୟରେ ତୃତୀୟ ରେଳ ଲାଇନ୍ ନିର୍ମାଣ ପାଇଁ ନୀତିଗତଭାବେ ୨୦୧୫-୨୦୧୬ ରେଳ ବଜେଟ୍ରେ ବ୍ୟବସ୍ଥା ହେବା ସହ ଏଥିପାଇଁ ୪୪କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଏହି କ୍ରମରେ ୨୦୧୬-୨୦୧୭ ରେଳ ବଜେଟ୍ରେ ଏଥିପାଇଁ ୧୦୩ କୋଟି ଟଙ୍କାର ବ୍ୟୟ ଅଟକଳର ପ୍ରସ୍ତାବ ରହିଛି। ରେଳବାଇ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ୨୦୧୫-୨୦୧୬ ଆର୍ଥିକ ବର୍ଷରେ ହୋଇଥିବା ବ୍ୟୟବରାଦ ପ୍ରସ୍ତାବ ମୁତାବକ ଏହି ନୁତନ ରେଳ ଲାଇନ୍ ନିର୍ମାଣ ପାଇଁ ମୋଟ ୯୬୮.୯ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ରହିଥିବା ରାଉରକେଲା- ଝାରସୁଗୁଡା ରେଳ ଲାଇନ୍ ସହିତ ସଂଲଗ୍ନ ହୋଇ ନୂତନ ଲାଇନ୍ ନିର୍ମାଣ ହେବ। ଏହି ନୂତନ ରେଳ ଲାଇନ୍ ପ୍ରକଳ୍ପରେ ମୋଟ ୧୩୦ଟି ଛୋଟ ପୋଲ ଓ ୧୨ଟି ବଡ଼ ପୋଲ ରହିବ। ୨୦୧୯-୨୦୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ନୂତନ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
he forgot about railway divison