ଇସ୍ପାତ ସହରରେ ସାରଦୀୟ ଦୁର୍ଗାପୂଜା ଆରମ୍ଭ
ରାଉରକେଲା : ରାଉରକେଲା ଓ ଆଖପାଖ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହା ସମାରୋହରେ ଆରମ୍ଭ ହୋଇଛି। ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଚଳିତ ମାସ ୧୨ ତାରିଖରେ ଶେଷ ହେବ । ୧୨ ତାରିଖରେ ହେବାକୁ ଥିବା ଭସାଣି ଉତ୍ସବକୁ ଜାକଜକମରେ ପାଳନ କରାଯିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରେ ଷଷ୍ଠୀ ପୂଜା, ୮ ତାରିଖରେ ସପ୍ତମୀ ପୂଜା, ୯ ତାରିଖରେ ମହାଷ୍ଟମୀ ପୂଜା, ୧୦ ତାରିଖରେ ମହାନବମୀ ପୂଜା, ୧୧ ତାରିଖରେ ଦଶମୀ ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ଇସ୍ପାତ ସହରାଞ୍ଚଳ ସମେତ ମହାନଗର ଅଧିନସ୍ଥ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଦେବୀଙ୍କ ମୂର୍ତ୍ତି ପୂଜା ଆରମ୍ଭ ହୋଇଛି ।
ରାଉରକେଲା ସହରର ସବୁଠାରୁ ଅଧିକ ଜନଗହଳୀ ହେଉଥିବା ପୂଜାମଣ୍ଡପଗୁଡ଼ିକ ମଧ୍ୟରେ ରହିଥିବା ସେକ୍ଟର-୨, ସେକ୍ଟର-୧୭ ସମଲେଶ୍ୱରୀ ପୂଜା କମିଟି, ସେକ୍ଟର – ୧୬, ଟେଲିଫୋନ ଭବନ, ସେକ୍ଟର-୧( ପୁରୁଣା), ବାସନ୍ତୀ ନଗର, ଇସ୍ପାତ ମାର୍କେଟ୍ ପେଣ୍ଡାଲ୍ଗୁଡ଼ିକ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଟେଲିଫୋନ୍ ଭବନ, ସେକ୍ଟର-୬ ‘ଜି’ ଓ ‘ଏଚ୍’ ବ୍ଲକ୍ ଆଦି ପୂଜା କମିଟି ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଥିଲାବେଳେ ସେକ୍ଟର- ୯ ପୂଜା କମିଟି ରୌପ୍ୟ ଜୟନ୍ତୀ ପାଳନ କରୁଛନ୍ତି।
ସ୍ୱର୍ଣ୍ଣ ଜୟନ୍ତୀ ଓ ରୌପ୍ୟ ଜୟନ୍ତୀ ପାଳନ ସହିତ ଅଧିକ ସାଜସଜ୍ଜା କରିଥିବା କିଛି ପୂଜା ପେଣ୍ଡାଲ୍ଗୁଡ଼ିକ ୧୨ ତାରିଖ ଦିନ ଭଷାଣୀ ସମ୍ପନ୍ନ ନକରି ଦୁଇ/ତିନିଦିନ ପରେ କରିବା ପାଇଁ ଯୋଜନା କରୁଥିବାରୁ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେହିପରି ଅଧିକ ଗହଳୀ ହେବାକୁ ଥିବା ପେଣ୍ଡାଲ୍ଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନା କରାଯାଇଥିବା ଦେଖିବାକୁ ମିଳିଛି। ଟେଲିଫୋନ୍ ଭବନ ସହିତ ସେକ୍ଟର-୨ , ସେକ୍ଟର-୧ ଆଦି ପେଣ୍ଡାଲ୍ଗୁଡ଼ିକ ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ ସହିତ ସନ୍ଧ୍ୟା ଓ ରାତ୍ରୀ ବେଳର ଗହଳୀକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ରଭାବେ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରୀୟ ପୂଜା କମିଟିର ସଭାପତି ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରରେ ସାର୍ବଜନୀନ ଦୁର୍ଗାପୂଜା ସହିତ ରାବଣ ପୋଡ଼ି ଓ ଭଷାଣୀ ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେକ୍ଟର-୧୩ ମେଳନ ପଡ଼ିଆରେ ଦଶହରା ଦିନ ରାବଣ ପୋଡ଼ି ଏବଂ ତା’ପରଦିନ ଭଷାଣୀ ମେଳନ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ହେଉଥିବା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ କରିବା ପାଇଁ ୨୦ ପ୍ଲାଟୁନ୍ ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ସହିତ ଗୃହରକ୍ଷୀ ବାହିନୀର କର୍ମୀମାନଙ୍କୁ ମୁତୟନ କରାଯାଇଛି। ମୋଟ ଉପରେ ସହରରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।