ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ମୋନିଷା ବାନାର୍ଜୀଙ୍କ ଯୋଗଦାନ
ରାଉରକେଲା: ଇସ୍ପାତ ସହରର ନୂତନ ଅତିରିକ୍ତ ଜିଲ୍ଳାପାଳଭାବେ ମୋନିଷା ବାନାର୍ଜୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୪ ମସିହା ସେପ୍ଟେମ୍ବର ମାସରେ ଏଠାରେ ଅତିରିକ୍ତ ଜିଲ୍ଲାପାଳଭାବେ ଯୋଗଦେଇଥିବା କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କର ନିକଟରେ ପଦୋନ୍ନତି ସହିତ ବଦଳି ହୋଇଥିଲା। ତେଣୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମୋନିଷା ବାନାର୍ଜୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ଶାଳିନୀ ପଣ୍ଡିତ୍ଙ୍କ ପରେ କୁମାରୀ ବାନାର୍ଜୀଙ୍କ ହେଉଛନ୍ତି ଇସ୍ପାତ ସହରର ଦ୍ୱିତୀୟ ମହିଳା ଅତିରିକ୍ତ ଜିଲ୍ଲାପାଳ। ଏହା ସହିତ ସେ ରାଉରକେଲା ମହାନଗର ନିଗମର ଭାରପ୍ରାପ୍ତ ପ୍ରଶାସକ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁମାରୀ ବାନାର୍ଜୀ କାର୍ଯ୍ୟରେ ଯୋଗଦେଲା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଆସନ୍ତା ଦିନରେ ରାଉରକେଲା ମହାନଗର ନିଗମର ନିର୍ବାଚନ ଏବଂ ରାଉରକେଲାକୁ ସ୍ମାର୍ଟ ସିଟି କରିବା ପାଇଁ ନିଆଯାଉଥିବା ପଦକ୍ଷେପ, ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ ବୋଲି ଜଣାପଡ଼ିଛି।