ଉପରାଷ୍ଟ୍ରପତି ହମିଦ୍ ଆନ୍ସାରୀଙ୍କ ଦ୍ୱାରା ରାଉରକେଲାରେ ହକି ମହାକୁମ୍ଭ ଉଦ୍ଘାଟିତ
ଉପରାଷ୍ଟ୍ରପତି ହମିଦ୍ ଆନ୍ସାରୀଙ୍କ ଦ୍ୱାରା ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ମହାକୁମ୍ଭ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଆନ୍ସାରୀ କହିଲେ ଯେ-ଓଡ଼ିଶାର ହକି ଖେଳର ଇତିହାସ ବେଶ୍ ପ୍ରସିଦ୍ଧ କାରଣ ବିଗତ ଦିନରେ ଅନେକ ଉଦୀୟମାନ ଖେଳାଳି ଏହି ରାଜ୍ୟରୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ସେହିଭଳି ଆସନ୍ତା ଦିନରେ ଏହି ଅଞ୍ଚଳରୁ ଅଧିକରୁ ଅଧିକ ହକି ଖେଳାଳି ନିଜର ପ୍ରତିଭା ପ୍ରଦର୍ଶନ କରିବାରେ ସଫଳ ହେବେ ବୋଲି ଶ୍ରୀ ଆନ୍ସାରୀ ଆଶାବ୍ୟକ୍ତ କରିଥିଲେ। ଓଡ଼ିଶା ସରକାର ଏବଂ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ରାଜ୍ୟର ହକି ଖେଳ ଓ ଖେଳାଳିଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରୟାସ ଜାରି ରଖିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ରାଉରକେଲା ପରି ଏକ ଛୋଟ ସହରରେ ଏକାସାଙ୍ଗରେ ହଜାର ହଜାର ହକି ଖେଳାଳି ଏକତ୍ରିତ ହେବା ଏକ ବିରଳ ଅନୁଭୂତି ବୋଲି ସେ କହିଥିଲେ।
ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକ ଅବସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପାଇଁ ଆୟୋଜକମାନଙ୍କୁ ବଧାଇ ଜଣାଇବା ସହ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କର ବିକାଶ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ। ଏଥିପାଇଁ ୨୦୧୮ ମସିହାରେ ଭୁବନେଶ୍ୱରଠାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ କିଛିବର୍ଷ ପୂର୍ବେ ରାଉରକେଲାରେ ଥିବା ହକି ଉତ୍କର୍ଷ କେନ୍ଦ୍ର ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେଣୁ ଏହିଭଳି ଏକ କେନ୍ଦ୍ର ରାଉରକେଲାଠାରେ ପୂନର୍ବାର ସ୍ଥାପନା କରିବା ନିମନ୍ତେ ଶ୍ରୀ ଓରାମ ଦାବି କରିବା ସହ ହକି ଖେଳର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ସହଯୋଗରେ ଏଠାରେ ଏକ ହକି ଏକାଡେମୀ ଓ ଗବେଷଣା କେନ୍ଦ୍ର ଖୋଲାଯିବା ନିମନ୍ତେ ସାଂସଦ ଦିଲ୍ଲୀପ ତିର୍କୀଙ୍କ ସହ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଦିଲ୍ଲୀପ ତିର୍କୀ କ୍ରୀଡ଼ା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାର୍ଣ୍ଡି, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୫ଜଣ ବିଶିଷ୍ଟ ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଉଛନ୍ତି କିମ୍ବଦନ୍ତି ହକି ଖେଳାଳି ଧ୍ୟାନଚାନ୍ଦଙ୍କ ସୁପୁତ୍ର ଅଶୋକ କୁମାର, ବରିଷ୍ଠ ହକି ଖେଳାଳି ମାଇକେଲ୍ କିଣ୍ଡୋ ଓ ଏ. ବି. ସୁବୟା ଏବଂ ଯୁବ ହକି ଖେଳାଳି ଇଗ୍ନେସ୍ ତିର୍କୀ ଓ ବିରେନ୍ଦ୍ର ଲାକ୍ରା। ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ୧୪୫୮ଟି ଦଳର ୨୨,୦୦୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି।